Sunday, November 5, 2017

ପ୍ରକୃତି ଓ ପ୍ରଗତି: ଏକ ଅତି କ୍ଷୁଦ୍ର ଇତିହାସ

ଆମ ଭୁବନେଶ୍ୱର ନଗର ଅତି କମ୍ ରେ ୨୩୦୦ ବର୍ଷ ପୁରୁଣା। ଆଉ ଆମ ପୃଥିବୀ ହଉଛି ୪୫୪ କୋଟି ବର୍ଷ ପୁରୁଣା। ଆମେ ମଣିଷମାନେ ବହୁତ ବିଳମ୍ବରେ ଏଇ ଧରାପୃଷ୍ଠରେ ପଦାର୍ପଣ କରିଛୁ, ମାତ୍ର ୨ ଲକ୍ଷ ବର୍ଷ ପୂର୍ବେ। ଆଦିମ ମାନବ ଜଙ୍ଗଲରେ ରହୁଥିଲା, ଶିକାର କରି ଜାଜାବର ଜୀବନ ଜିଉଁଥିଲା। ୬୦୦୦ ବର୍ଷ ପୂର୍ବେ ମଣିଷ ସଭ୍ୟତା ଆରମ୍ଭ ହେଲା। ମଣିଷ କୃଷି, ରନ୍ଧନ, ପରିବାର ଗଠନ ଓ ନଗର ନିର୍ମାଣ ଶିଖିଲା।

ଉନବିଂଶ ଶତାବ୍ଦୀ ଯାଏଁ ମାନବ ପ୍ରକୃତିର ବନ୍ଧୁ ଥିଲା - ଏମିତିକି ଅନେକ ସଭ୍ୟତାରେ ପ୍ରକୃତି ପୂଜନ ସାମାଜିକ ପ୍ରଥାର ଏକ ଅଭିନ୍ନ ଅଙ୍ଗ ଥିଲା। ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ପାହାଡ଼, ନଦୀ ତଥା ସମୂଦ୍ରକୁ ଆମ ପୂର୍ବପୁରୁଷମାନେ ଦେବତା ମାନି ସେମାନଙ୍କ ପୂଜା ଅର୍ଚ୍ଚନା କରୁଥିଲେ। ତେଣୁ ସାମାଜିକ ଉନ୍ନତିର କୌଣସି ସୋପାନରେ ପ୍ରକୃତିର ରକ୍ଷଣାବେକ୍ଷଣକୁ ଉପେକ୍ଷା କରାଯାଉନଥିଲା।

କିନ୍ତୁ ଉନବିଂଶ ଶତାବ୍ଦୀରେ ବାଷ୍ପୀୟ କଳର ଉଦ୍ଭାବନରୁ ଆରମ୍ଭ ହୋଇଥିଲା ଔଦ୍ୟୋଗୀକରଣ। ଚିକିତ୍ସା ଶାସ୍ତ୍ରରେ ବିକାଶ ଘଟିଲା - ଫଳସ୍ୱରୂପ ମୃତ୍ୟୁହାର ହ୍ରାସ ପାଇଲା ଓ ଜନସଂଖ୍ୟାର ବୃଦ୍ଧି ହେଲା। ବିଶାଳ ଜନସଂଖ୍ୟାର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲ କାଟି ହଜାର ହଜାର କଳକାରଖାନା ପ୍ରତିଷ୍ଠା କରାଗଲା। ଲାଭଖୋର ଶିଳ୍ପପତିମାନଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା ଉତ୍ପାଦନ ବୃଦ୍ଧି; ଆଉ ସେତେବେଳେ ସମାଜର ଅବଶିଷ୍ଟ ନାଗରିକମାନେ ଆଧୁନିକ ଯୁଗର ନୂତନ ବିଳାଶ ଓ ଆଡ଼ମ୍ବରରେ ମଗ୍ନଥିଲେ। ଯାନବାହନର ଉଦ୍ଭାବନ ପରେ ଜୀବାଶ୍ମ ଈନ୍ଧନର ପ୍ରୟୋଗ ବଢ଼ିଚାଲିଲା।

ଅତି ବିଳମ୍ବରେ, ବିଂଶ ଶତାବ୍ଦୀର ଅଷ୍ଟମ ଦଶନ୍ଧିରେ ପର୍ଯ୍ୟାବରଣର ମାନବକୃତ କ୍ଷୟକ୍ଷତି ସମ୍ପୃକ୍ତ ତଥ୍ୟ ସବୁ ଲୋକଲୋଚନକୁ ଆସିଲା।

ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇଚାଲିଛି, କଳକାରଖାନା ଓ ଯାନବାହନର ସବୁ ବିଷାକ୍ତ ବର୍ଜ୍ୟବସ୍ତୁ ଆମ ମାଟି, ପାଣି, ପବନରେ ମିଶୁଛି। ପ୍ରଦୂଷଣର କୁପ୍ରଭାବ ଏବେ ବିଶାଳ ରୂପ ନେଲାଣି। ଗୁଜରାତ ଓ ଆସାମ ବନ୍ୟାଗ୍ରସ୍ତ ତ ତାମିଲନାଡୁ ମରୁଡ଼ି ପ୍ରପୀଡ଼ିତ ! ଉତ୍ତର ମେରୁର ଅଧିକାଂଶ ବରଫ ତରଳି ଗଲାଣି। ଫଳସ୍ୱରୂପ Maldives, Kiribati ଆଉ Tuvalu ପରି ଅନେକ ଦ୍ବୀପରାଷ୍ଟ୍ରମାନଙ୍କର ଭବିଷ୍ୟତ ବିପଦପୂର୍ଣ୍ଣ !!